ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ଡକ୍ଟର୍‌ ଭି

17 ଜୁଲାଇ 2017
ଶେୟାର କରନ୍ତୁ :

ଗୋବିନ୍ଦପ୍ପା ଭେଙ୍କଟସ୍ବାମୀଙ୍କର ଜନ୍ମ ସେତେବେଳକାର ମାଡ୍ରାସ ପ୍ରଦେଶର ଗୋଟିଏ ଛୋଟ ଗାଁ ଭାଡାମାଲାପୁରମ୍‌ରେ ୧୯୧୮ ମସିହାରେ ହୋଇଥିଲା। ସକାଳ ହେଲେ ଗୋବିନ୍ଦପ୍ପାଙ୍କ ମା’ ଆଗ ତାଙ୍କୁ ମଇଁଷି ଚରେଇବାକୁ ପଠାଉଥିଲେ; ତା’ପରେ ସ୍କୁଲ। ଗାଁ ସ୍କୁଲର ଦୟନୀୟ ଅବସ୍ଥା। ସାମାନ୍ୟ ବ୍ଲାକ୍‌ବୋର୍ଡ୍‌ଟିଏ ବି ନ ଥିଲା। ପିଲାମାନେ ନଈ ବାଲିକୁ ସମତଳ କରି ତା’ରି ଉପରେ ଅକ୍ଷର ଅଭ୍ୟାସ କରୁଥିଲେ।

ଦିନେ ଗାଁରେ ଭୀଷଣ କାନ୍ଦବୋବାଳି ପଡିଗଲା। ଗୋବିନ୍ଦପ୍ପାଙ୍କୁ ଜଣେ କହିଲା ଯେ ତାଙ୍କ ପଡିଶା ଘରେ ଅଳ୍ପ ବୟସର ମହିଳା ପ୍ରସବ ସମୟରେ ଜୀବନ ହରେଇଲେ। ଏ ଘଟଣା ଆଠ ବର୍ଷର ଗୋବିନ୍ଦପ୍ପାଙ୍କୁ ଏଭଳି କଷ୍ଟ ଦେଲା ଯେ ସେ ସ୍ଥିର କଲେ ବଡ ହୋଇ ପ୍ରସୂତି ଡାକ୍ତର ହେବେ ଏବଂ ଏଭଳି ଅଭାବନୀୟ ଘଟଣାରୁ ଲୋକଙ୍କୁ ବଞ୍ଚାଇବେ। ଦିନେ ତାଙ୍କର ସ୍ବପ୍ନ ସଫଳ ହେଲା। ଗୋବିନ୍ଦପ୍ପା ୧୯୪୫ ମସିହାରେ ଡାକ୍ତର ଭେଙ୍କଟସ୍ବାମୀ ହିସାବରେ ଭାରତୀୟ ସେନାରେ ଯୋଗ ଦେଲେ। କିନ୍ତୁ ତାଙ୍କର ଦୁର୍ଭାଗ୍ୟକୁ କିଛି ବର୍ଷ ପରେ ଏକରକମର ଭୟାନକ ବାତରୋଗରେ ଆକ୍ରାନ୍ତ ହୋଇ ତାଙ୍କର ହାତପାଦର ଆଙ୍ଗୁଠି ବିକୃତ ଭାବରେ ବଙ୍କିଗଲା। ଗୋଟାଏ ବର୍ଷ ଡାକ୍ତରଖାନାରେ ପଡିରହିବା ପରେ ଦିନେ ସେ ଉଠିପାରିଲେ, କିନ୍ତୁ ପ୍ରସୂତି ବିଭାଗର ସର୍ଜନ ହେବାର କ୍ଷମତା ତାଙ୍କର ଚାଲିଗଲା। ୧୯୪୮ରେ ଗୋବିନ୍ଦପ୍ପାଙ୍କୁ ସେନାବାହିନୀରୁ ନିବୃତ୍ତ କରିଦିଆହେଲା।

ଏଭଳି ପରିସ୍ଥିତିରେ ଅବସାଦଗ୍ରସ୍ତ ନ ହୋଇ ସେ ନିଷ୍ପତ୍ତି ନେଲେ ଯେ ସେ ଚକ୍ଷୁରୋଗ ବିଶେଷଜ୍ଞ ହେବେ। ଏଥିପାଇଁ ଆବଶ୍ୟକ ଅନ୍ୟରକମର ପାଠପଢା ଓ ଅସ୍ତ୍ରୋପଚାର ଶିକ୍ଷା। ତା’ପରେ ଡକ୍ଟର ଭେଙ୍କଟସ୍ବାମୀ ମାଡ୍ରାସରେ ସରକାରୀ ଆଖି ଡାକ୍ତର ହୋଇ ଲକ୍ଷାଧିକ ରୋଗୀଙ୍କର ଅସ୍ତ୍ରୋପଚାର କରିଲେ ଏବଂ ୫୮ ବର୍ଷ ବୟସରେ ଚାକିରିରୁ ଅବସର ନେଲେ।

ଅବସର ପରେ ଚୁପ୍‌ ହୋଇ ବସିଯିବା ମଣିଷ ସେ ନଥିଲେ। ସେ ସମାଜର ମଙ୍ଗଳ ପାଇଁ କିଛି କରିବାକୁ ଚାହିଁଲେ। ସେ ଚିନ୍ତା କରି ଦେଖିଲେ ଯେ ଭାରତବର୍ଷରେ ପୃଥିବୀର ସର୍ବାଧିକ ଦୃଷ୍ଟିହୀନତା ରହିଛି ଏବଂ ଏଥିରୁ ଅଧିକାଂଶ ଘଟେ ଜନସାଧାରଣଙ୍କର ଅଜ୍ଞତାରୁ। ଯାହାକୁ ସେ କହନ୍ତି ‘ନିରର୍ଥକ ଦୃଷ୍ଟିହୀନତା’। ଗ୍ରାମାଞ୍ଚଳରେ ଜଣେ ଗରୀବ ଲୋକର ଆଖିରେ ପରଳ ପଡିଗଲେ ତା’ର କର୍ମକ୍ଷମତା ହ୍ରାସ ପାଏ। କିଛି ଦିନ ପରେ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବରେ ଚାଲିଯାଏ ଏବଂ ଲୋକଟିକୁ ଘରେ ବସି ପରମୁଖାପେକ୍ଷୀ ହେବାକୁ ପଡେ। ଡାକ୍ତର ଭେଙ୍କଟାପ୍ପା ଏହି ଅନାବଶ୍ୟକ ଦୃଷ୍ଟିହୀନତା ଦୂର କରିବା ପାଇଁ ନିଜର ସ୍ବଳ୍ପ ସମ୍ବଳ ନେଇ ଦୁଇ ବଖରା ଘରେ ୧୩ଟି ଖଟ ପକେଇ ଆରମ୍ଭ କଲେ ଅରବିନ୍ଦ ଚକ୍ଷୁ ଚିକିତ୍ସାଳୟ। ନିଜେ ଅବିବାହିତ, ସେଥିପାଇଁ ସେ ତାଙ୍କୁ ସାହାଯ୍ୟ କରିବାକୁ ଭାଇ ଭଉଣୀମାନଙ୍କୁ ନେଇଆସିଲେ। ସାରା ପରିବାରର ଉଦ୍ୟମରେ ଏବେ ଅରବିନ୍ଦ ଚକ୍ଷୁ ଚିକିତ୍ସାଳୟ ପୃଥିବୀର ସବୁଠାରୁ ବଡ ଆଖି ହସ୍‌ପିଟାଲ୍‌। ବର୍ତ୍ତମାନ ସୁଦ୍ଧା ଏଠାରେ ୫.୫ କୋଟି ଲୋକଙ୍କର ଚିକିତ୍ସା ହୋଇସାରିଛି। ଅସ୍ତ୍ରୋପଚାର ହୋଇଛି ୬୦ ଲକ୍ଷ ଲୋକଙ୍କର। ଏ ଡାକ୍ତରଖାନାର ବିଶେଷତ୍ତ୍ବ ହେଲା ଅର୍ଥାଭାବ ଯୋଗୁଁ କୌଣସି ରୋଗୀକୁ ଏଠାରୁ ଫେରାଇ ଦିଆଯାଏନାହିଁ। ୩୦ ପ୍ରତିଶତ ଲୋକ ନିଜ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ବହନ କରନ୍ତି ଏବଂ ସେଇ ଅର୍ଥରୁ ହିଁ ବାକୀ ୭୦ ପ୍ରତିଶତ ଲୋକଙ୍କର ମାଗଣା ଚିକିତ୍ସା ହୋଇଯାଏ। ଏଭଳି ପଦ୍ଧତି ଅନନ୍ୟ। କେବଳ ଚିକିତ୍ସା ଜଗତରୁ ନୁହଁ, ପୃଥିବୀର ଅନ୍ୟାନ୍ୟ କ୍ଷେତ୍ରରୁ ମଧ୍ୟ ଲୋକମାନେ ଅରବିନ୍ଦ ହସ୍‌ପିଟାଲ୍‌ର କାର୍ଯ୍ୟପଦ୍ଧତି ଶିଖିବା ପାଇଁ ଏଠିକୁ ଆସନ୍ତି।

ଡାକ୍ତର ଭେଙ୍କଟସ୍ବାମୀଙ୍କର କାମ ଓ ବ୍ୟକ୍ତିଗତ ଆଦର୍ଶ କଥା ଚାରିଆଡେ ବ୍ୟାପିଯାଇଥିଲା। ସେ ବହୁ ଆନ୍ତର୍ଜାତିକ ସମ୍ମାନ ପାଇବା ସଙ୍ଗେ ସଙ୍ଗେ ଭାରତ ସରକାରଙ୍କର ପଦ୍ମଶ୍ରୀ ଉପାଧି ମଧ୍ୟ ପାଇଲେ। ‘ଡକ୍ଟର ଭି’ ବୋଲି ପ୍ରସିଦ୍ଧ ହୋଇଗଲେ। ତାଙ୍କ ଜୀବନର ଆଦର୍ଶ ଓ ଅରବିନ୍ଦ ସଂସ୍ଥାର କାହାଣୀ ନେଇ ୩୪ ମିନିଟର ସିନେମାଟିଏ ପ୍ରସ୍ତୁତ ହୋଇଛି-‘ଇନ୍‌ଫିନିଟ୍‌ ଭିଜନ୍‌’। ମୋ ମତରେ ସବୁ ପାଠକପାଠିକାମାନେ ୟୁ ଟ୍ୟୁବ୍‌ରେ ଏହାକୁ ଦେଖିବା ଦରକାର।

ଡକ୍ଟର ଭେଙ୍କଟସ୍ବାମୀଙ୍କ ଜୀବନ କାହାଣୀ ଗଭୀର ଭାବରେ ଅନୁପ୍ରାଣିତ କରିଥିଲା ଓଡିଶାର ଜଣେ ଡାକ୍ତରଙ୍କୁ। ଜଗତସିଂହପୁରର ଗୋଟିଏ ସାଧାରଣ ଶିକ୍ଷକ ପରିବାରରେ ଜନ୍ମ ଡାକ୍ତର ଶିବ ସାହୁ ମେଧାବୀ ଛାତ୍ର ହିସାବରେ ଜବାହର ନବୋଦୟ ସ୍କୁଲରେ ପାଠ ପଢିବାର ସୁଯୋଗ ପାଇଲେ। ସେଠି ରହିବା ଖାଇବା ପଢିବା ଖର୍ଚ୍ଚ କେବଳ ନୁହଁ, ଜୋତା ପାଲିସଠାରୁ ମୁଣ୍ଡର ତେଲ ପର୍ଯ୍ୟନ୍ତ ସବୁକିଛି ସରକାରଙ୍କ ବଦାନ୍ୟତାରେ ମିଳୁଥିଲା। ସ୍କୁଲ ପରେ ବୁର୍ଲା ମେଡିକାଲ୍‌ କଲେଜରୁ ଡାକ୍ତରୀ ପାସ୍‌ କରି ସରକାରୀ ଚାକିରି କରିଥିଲେ। କିନ୍ତୁ ମନ ଲାଗି ନ ଥିଲା। ଡକ୍ଟର ଭେଙ୍କଟସ୍ବାମୀଙ୍କ ପଦାଙ୍କ ଅନୁସରଣ କରି ସେ ସମ୍ବଲପୁର ପାଖ ଜମାଦାରପଲ୍ଲୀ ଗାଁରେ ତ୍ରିଲୋଚନ ନେତ୍ରାଳୟ ଆରମ୍ଭ କଲେ। ସମ୍ବଳର ଘୋର ଅଭାବ ସତ୍ତ୍ବେ ସେ ପଥଚ୍ୟୁତ ହୋଇ ନ ଥିଲେ। କ୍ରମେ କେତୋଟି ଆନ୍ତର୍ଜାତିକ ସଂସ୍ଥା ଓ କେତୋଟି ଭାରତୀୟ ବେସରକାରୀ ସଂସ୍ଥା ତାଙ୍କୁ ସାହାଯ୍ୟର ହାତ ବଢେଇ ଦେଇଥିଲେ। ଏବେବି ତାଙ୍କର ସଂଘର୍ଷର ଦିନ ଶେଷ ହୋଇନାହିଁ, କିନ୍ତୁ ଏହାରି ଭିତରେ ସେ ପ୍ରାୟ ସତୁରୀ ହଜାର ଗରୀବ ଲୋକଙ୍କର ଅସ୍ତ୍ରୋପଚାର କରିସାରିଛନ୍ତି।

ଭାରତର ପ୍ରତି କୋଣରେ ଡକ୍ଟର ଭେଙ୍କଟସ୍ବାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରଫେସନାଲ୍‌ମାନେ ରହିଲେ, ଦେଶର ଯେ ସର୍ବାଙ୍ଗୀନ ଉନ୍ନତି ଘଟିବ, ଏଥିରେ ସନ୍ଦେହ ନାହିଁ। ତାଙ୍କ ପରି ଦକ୍ଷ ମଣିଷ ଏବଂ କେବଳ ଆର୍ଥିକ ସଫଳତା ପାଇଥିବା ମଣିଷଙ୍କ ଭିତରେ ଫରକଟି ଶିକ୍ଷା ବା ପାରଦର୍ଶିତାର ନୁହଁ। ସବୁଠାରୁ ବଡ ତଫାତ୍‌ ଆଦର୍ଶବାଦ ଓ ଦୂରଦୃଷ୍ଟିର। କେବଳ ଡାକ୍ତରୀ କ୍ଷେତ୍ରରେ ନୁହଁ, ଯେ କୌଣସି ପେସାଦାର ଜୀବନରେ ଏହି ଦୂରଦୃଷ୍ଟି ହିଁ ଆମକୁ ସମ୍ମାନର ଶ୍ରେଷ୍ଠ ସୋପାନ ପର୍ଯ୍ୟନ୍ତ ପହଞ୍ଚାଇଦେଇପାରେ। ଯେଉଁଠି ସାଧାରଣ ଦକ୍ଷ ମଣିଷଟିଏ ସମ୍ବଳର ଅଭାବ କିମ୍ବା ‘ନାହିଁ ନାହିଁ’ର ପରିବେଶ ଦେଖେ, ସେଇଠି ଆଦର୍ଶ ଓ ଦୂରଦୃଷ୍ଟି ବଳରେ ଅନ୍ୟ ମଣିଷଟି ନୂତନ ସମ୍ଭାବନାର ପଥ ଦେଖିଥାଏ।  

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।